୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଆମ ଓଡ଼ିଶା’ ପକ୍ଷରୁ ମତଦାନ ଅଭିଯାନର ଶୁଭାରମ୍ଭ Download  
‘ଆମ ଓଡ଼ିଶା’ ପକ୍ଷରୁ ମତଦାନ ଅଭିଯାନର ଶୁଭାରମ୍ଭ ରାଜ୍ୟରେ ୩୫ ପ୍ରତିଶତ ଲୋକ ଭୋଟ୍ ଦେଉନାହାନ୍ତି୤ ମତଦାନ ପ୍ରତି ଅନାଗ୍ରହ ଦେଖାଯାଉଥିବା ଏହି ଅଂଶଟି ପ୍ରଭାବୀ,ଶିକ୍ଷିତ ଓ ଭଲ ଲୋକଙ୍କ ଗୋଷ୍ଠୀ୤ ଏମାନେ କୌଣସି ଚାପ ଅବା ପ୍ରଲୋଭନ ଦ୍ବାରା ପ୍ରଭାବିତ ହୁଅନ୍ତୁ ନାହିଁ୤ଏଭଳି ଭଲ ଲୋକମାନଙ୍କୁ ମତଦାନ ପାଇଁ ଉତ୍ସାହିତ କରାଯିବା ଦରକାର୤ଭଲ ଲୋକମାନେ ଉତ୍ତମ ମତ ଦେବେ୤ଯଦି ମତ ଭଲହୁଏ ତେବେ ଫଳାଫଳ ବି ଉତ୍ତମ ହେବ୤କୁଣ୍ଠରେ ଥିବା ଅପରିଷ୍କାର ପାଣିକୁ ପରିଷ୍କାର କରିବା ପାଇଁ ଯେମିତି ଭଲ ପାଣି ଦରକାର,ଠିକ୍ ସେମିତି ଆମ ରାଜନୈତିକ ବ୍ୟବସ୍ଥାରେ ସୁଧାର ନିମନ୍ତେ ଭଲ ଲୋକମାନେ ଏକାଠି ହୁଅନ୍ତୁ,ଭୋଟ୍ ଦିଅନ୍ତୁ୤ ଆଜି ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏ ପ୍ରକାର ଆହ୍ବାନରେ ଏକ ନୂଆ ସଂକଳ୍ପ ଜନ୍ମ ନେଇଛି କଟକ ସହରରୁ୤ନେତାଜୀଙ୍କ ଜନ୍ମମାଟିରେ, ତାଙ୍କର ପବିତ୍ର ଜନ୍ମ ଦିବସରେ ମତଦାନ ଅଭିଯାନର ଶୁଭାରମ୍ଭ ହୋଇଛି୤ଭାଷାଜ୍ଞାନ,ରକ୍ତଦାନ ପରେ ମତଦାନ ପାଇଁ ଉତ୍ସାହ ସୃଷ୍ଟି କରିବାକୁ ସଂକଳ୍ପ ନେଇଛି ଆମ ଓଡ଼ିଶା୤ ଏ ଅଭିଯାନ ଚାଲିବ ଗୋଟିଏ ଲକ୍ଷରେ ‘ଶହେ ପ୍ରତିଶତ ମତଦାନ’୤ ଏକ ନିଆରା ଢଙ୍ଗରେ ଓଡ଼ିଶା ମାଟିର ଦୁଇ ବୀର ସନ୍ତାନ ବୀର ସୁରେନ୍ଦ୍ର ସାଏ,ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି ଏହି ଅଭିଯାନ୤କଟକର ସହିଦ ଭବନରେ ଆୟୋଜିତ ସମ୍ବାଦ-ଆମ ଓଡ଼ିଶା ପ୍ରତିନିଧି,ଶୁଭେଚ୍ଛୁ ତଥା ସହଯୋଗୀଙ୍କର ଏକ ଭବ୍ୟ ସମାବେଶକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ ଏହି ଅଭିଯାନର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି୤ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ’ ଏମିତି ଏକ ସଂକଳ୍ପ ନେଇ ଆରମ୍ଭ ହୋଇଥିଲା ରକ୍ତଦାନ ଅଭିଯାନ୤ ଏହି ରକ୍ତଦାନ ଅଭିଯାନ ରାଜ୍ୟର ୩୧୪ଟି ଯାକ ବ୍ଲକରେ ସଫଳ ହୋଇଛି୤ ୨୦୧୧ ବର୍ଷରେ ରେକର୍ଡ଼ ୪୮ ହଜାରରୁ ଅଧିକ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି୤ଯେଉଁଠି ପୁଲିସ ପ୍ରଶାସନ, ସରକାରୀ କଳ ପହଞ୍ଚି ପାରିନାହିଁ୤ ସେଠି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି୤ ରକ୍ତଦାନର ଏପରି ଅଭୂତପୂର୍ବ ସଫଳତା ପ୍ରମାଣ କରିଦେଲା ଯେ, ଅତୀତରେ ନିଆଯାଇଥିବା ସଂକଳ୍ପ ଫମ୍ପା ନୁହେଁ୤ଆଉ ଏହି ସଫଳତା ହିଁ ‘ମତଦାନ ଅଭିଯାନ’ ଭଳି ଏକ ନିଆରା କାର୍ଯ୍ୟକ୍ରମର ଜନ୍ମଦାତା୤ରକ୍ତଦାନ ସହ ମତଦାନ ଯୋଡ଼ିବାର ବଳିଷ୍ଠ ଯୁକ୍ତିଯୁକ୍ତ କାରଣ ଉପସ୍ଥାପନ କରି ଶ୍ରୀ ପଟ୍ଟନାୟକ କହିଲେ,୧୮ ବର୍ଷ ହେଲେ ଜଣେ ରକ୍ତଦାନ ପାଇଁ ଯୋଗ୍ୟ ହୋଇଥାନ୍ତି୤ଠିକ୍ ସେମିତି ୧୮ ବର୍ଷ ହେଲେ ମତଦାନର ଅଧିକାର ମଧ୍ୟ ମିଳେ୤ରକ୍ତଦାନ ଭଳି ଗୋଟିଏ ଅଧିକାରକୁ ଆମେ ସାବ୍ୟସ୍ତ କରିସାରିଛୁ୤ଏବେ ମତଦାନ ଅଧିକାର ସାବ୍ୟସ୍ତ କରିବାର ସମୟ ଆସିଯାଇଛି୤୧୮ ବର୍ଷରେ ପଦାର୍ପଣ କରିଥିବା ନୂତନ ମତଦାତାଙ୍କୁ ଏପରି ଅଭିଯାନରେ ଅଭିମନ୍ତ୍ରିତ କରାଯାଉ୤ଭୋଟ୍ ନଦେଇ, ଭୋଟ୍ ପ୍ରକ୍ରିୟାରେ ଭାଗ ନନେଇ ଆମେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମାଲୋଚନା କଲେ କିଛି ଲାଭ ହେବ ନାହିଁ୤ ରାଜନୀତିକୁ ଘୃଣା କରି,ରାଜନୀତିଆଙ୍କୁ ଗାଳି ଦେଇ ଆମେ ବିଶେଷ କିଛି କରିପାରିବା ନାହିଁ୤ବରଂ ସେହି ପ୍ରକ୍ରିୟାରେ ସାମିଲ ହେଲେ ହିଁ ବ୍ୟବସ୍ଥାକୁ ବଦଳାଇ ଦେଇହେବ୤ଯେ କୌଣସି ଦଳକୁ ହେଉ ପଛେ ମତଦାନ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରାଯିବା ଦରକାର୤ମତଦାନର ଗୁରୁତ୍ବ ସଂପର୍କରେ ସଚେତନ କରାଇବାକୁ ଜାନୁଆରି ୨୫ ତାରିଖକୁ ରାଷ୍ଟ୍ରୀୟ ମତଦାତା ଦିବସ ଭାବେ ପାଳନ କରାଯିବାକୁ ସ୍ଥିର ହୋଇଛି୤ ତେଣୁ ସ୍ବାଭିମାନ ଦିବସ ପାଳନ କଲା ପରି ରାଜ୍ୟର ପ୍ରତି ବ୍ଲକରେ ମତଦାତା ଦିବସ ପାଳନ କରିବାକୁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଥିଲେ୤ନିଜେ ମତଦାନ ଅଭିଯାନକୁ ସଫଳ କରିବ ବୋଲି ଆଶାବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଲେ,ଭାଷାଜ୍ଞାନ ଭଳି ଏକସୂତ୍ରୀ କାର୍ଯ୍ୟକ୍ରମର ଲକ୍ଷ ନେଇ ୧୯୯୬ରେ ଆମ ଓଡ଼ିଶା ଜନ୍ମ ନେଇଥିଲା୤ଏହାର ପାଞ୍ଚ ବର୍ଷ ପରେ ଆରମ୍ଭ ହେଲା ରକ୍ତଦାନ ଅଭିଯାନ୤ଦୁଇଟିଯାକ ଅଭିଯାନ ଅଭୁତପର୍ବ ସଫଳତା ପାଇଛି୤ସେହିପରି ନିଷ୍ଠାପର ଉଦ୍ୟମ ରହିଲେ ମତଦାନ ଅଭିଯାନ ମଧ୍ୟ ସଫଳ ହେବ୤ଆଗାମୀ ପଞ୍ଚାୟତ ନିର୍ବଚନ ହିଁ ‘ମତଦାନ ଅଭିଯାନ’ର ପ୍ରଥମ ପରୀକ୍ଷା ବୋଲି ଶ୍ରୀ ପଟ୍ଟନାୟକ ସଚେତନ କରାଇ ଦେଇଥିଲେ୤ଏହି ଅଭିଯାନ ପାଇଁ ଶ୍ରୀ ପଟ୍ଟନାୟକ ସାହସ ଓ ଶକ୍ତିର ପ୍ରତୀକ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଆଶୀର୍ବାଦ କାମନା କରିଥିଲେ୤ ପ୍ରାରମ୍ଭରେ ଆମ ଓଡ଼ିଶାର ସଂପାଦକ ସ୍ବରାଜ ମିଶ୍ର ସମାବେଶର ଆଭିମୁଖ୍ୟ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲା ବେଳେ ସମାବେଶର ଅନ୍ତିମ ପର୍ଯ୍ୟାୟରେ ମତଦାନ ଅଭିଯାନର ପ୍ରକ୍ରିୟା ସଂପର୍କରେ ଆଲୋକପାତ କରିଥିଲେ୤‘ସମ୍ବାଦ’ର ସଂପାଦକ (ପ୍ରକାଶନ) ଅସିତ୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ୤ମତଦାନ ଅଭିଯାନ ପାଇଁ ସ୍ବତନ୍ତ୍ର ସଂଗୀତ ପ୍ରସ୍ତୁତ କରିଥିବା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଓ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ଶ୍ରୀ ପଟ୍ଟନାୟକ ସମ୍ବର୍ଧିତ କରିଥିଲେ୤ ସଭା ପୂର୍ବରୁ ଶ୍ରୀ ପଟ୍ଟନାୟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଯାଇ ନେତାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ୤ ସେହିପରି ସମାବେଶ ପରେ ସେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ,ନେତାଜୀଙ୍କ ଅନୁଗାମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କୁ ତାଙ୍କ ବାସଭବନରେ ସମ୍ବର୍ଧିତ କରିଥିଲେ୤ଉତ୍ସବ ଆରମ୍ଭ ପୂର୍ବରୁ ଆଇନସେବା ସଂସ୍ଥା ‘ଲିସା’ ସଂପାଦକ ଗଦାଧର ସାହୁଙ୍କ ନେତୃତ୍ବରେ ମହିଳାମାନେ ଶ୍ରୀ ପଟ୍ଟନାୟକଙ୍କୁ ପାରମ୍ପରିକ ଟୋପି ଓ ଲାଠି ପ୍ରଦାନ କରି ସମ୍ବର୍ଧିତ କରିଥିଲେ୤ ମଞ୍ଚରେ ଆମ ଓଡ଼ିଶାର କାର୍ଯ୍ୟକ୍ରମ ସଂଯୋଜକ ଶିଶିର ସାହୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରିଥିଲେ୤ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସମ୍ବାଦର କଟକ,ଭୁବନେଶ୍ବର,ଅନୁଗୁଳ,ବାଲେଶ୍ବର,ବ୍ରହ୍ମପୁର ସଂସ୍କରଣର ପ୍ରତିନିଧି ଓ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |