୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶାର ନୂଆବହି ‘ବାଚସ୍ପତି ମହୋଦୟ’ ଉନ୍ମୋଚିତ Download  
‘ବାଚସ୍ପତି ମହୋଦୟ’ ଉନ୍ମୋଚିତ କୃଷି ମାଧ୍ୟମରେ ହିଁ ଓଡ଼ିଶାର ବିକାଶ ସମ୍ଭବ: ଜାନକୀବଲ୍ଲଭ ଭୁବନେଶ୍ବର,୧୩/୩: ଗଣତନ୍ତ୍ରରେ ବିରୋଧୀ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି୤ ବିରୋଧୀ ଦଳ କେବଳ ସମାଲୋଚନାରେ ନିଜକୁ ସୀମିତ ନରଖି ଶାସନ ବ୍ୟବସ୍ଥାର ଗଠନମୂଳକ ସମୀକ୍ଷା କରିବା ଉଚିତ୍୤ଏହା ଶାସନ କଳକୁ ଠିକ୍ ବାଟରେ ନେବାରେ ସାହାର୍ଯ୍ୟ କରିବ ବୋଲି ପୁପ୍ରିମକୋର୍ଟର ପୂର୍ବତନ ମୂଖ୍ୟ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ କହିଛନ୍ତି୤ ଜାନକୀ ବଲ୍ଳଭ ପଟ୍ଟନାୟକ ୨୦୦୪ ରୁ ୨୦୦୯ ମହିହା ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲାବେଳେ ବିଧାନସଭାରେ ଦେଇଥିବା ବକ୍ତବ୍ୟଗୁଡ଼ିକର ଏକ ସଂକଳନ ‘ବାଚସ୍ପତି ମହୋଦୟ’ ଆଜି ଜୟଦେବ ଭବନରେ ଉନ୍ମୋଚିତ ହୋଇଥିଲା୤‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ଜଷ୍ଟିସ୍ ପଟ୍ଟନାୟକ ଉନ୍ମୋଚନ କରି କହିଥିଲେ,ଜାନକୀ ବଲ୍ଲଭ ବିରୋଧୀ ଦଳ ନେତା ହିସାବରେ ସେତେବେଳେ ଯାହା ଆଲୋଚନା କରିଥିଲେ,ତାହାର ପ୍ରାସଙ୍ଗିକତା ଏବେ ବି ରହିଛି୤ ରାଜନୈତିକ ଇଛାଶକ୍ତିର ଅଭାବ,ପ୍ରାକୃତିକ ସମ୍ପଦର ସଦୁପଯୋଗ ନ ହୋଇପାରିବା,ଶାସନକଳର ଉଦାସୀନତା ଯୋଗୁଁ ଓଡ଼ିଶା ଗରିବ ହୋଇ ରହିଛି୤ ଏହି ପରିପ୍ରେକ୍ଷୀରେ ଜାନକୀ ବାବୁଙ୍କ ମନ୍ତବ୍ୟ ବେଶ୍ ଗୁରୁତ୍ବପୂର୍ଣ୍ଣ୤ ପୁସ୍ତକଟି ପ୍ରତ୍ୟେକ ଶ୍ରେଣୀର ଲୋକଙ୍କ ଦ୍ବାରା ଆଦୃତ ହୋଇପାରିବ ବୋଲି ସେ କହିଥିଲେ୤ଲେଖକ ଜାନକୀ ବଲ୍ଲଭ ପଟ୍ଟନାୟକ କହିଥିଲେ,ସବୁ ରାଜ୍ୟ ଉପରକୁ ଉଠିପାରିବ ଓ ଓଡ଼ିଶା ଉଠିପାରିବନି ବୋଲି ସବୁଆଡ଼େ ଏକ ଧାରଣା ରହିଛି୤ଏହି ଧାରଣାକୁ ପରିବର୍ତ୍ତନ କରିବା ଜରୁରୀ୤ଓଡ଼ିଶାରେ ପ୍ରାକୃତିକ ସମ୍ପଦ,ଲୋକଶକ୍ତି,ମେଧା,ଆତ୍ମବିଶ୍ବାସର ଅଭାବ ନାହିଁ୤ ଓଡ଼ିଶାରେ ବୁଦ୍ଧିଜୀବୀମାନେ ସମାଜରେ ସଂଖ୍ୟାଲଘୁ ପାଲଟିଯାଇଥିବାରୁ ରାଜ୍ୟରେ ଯେତିକି ବିକାଶ ହେବା କଥା ହୋଇପାରୁ ନାହିଁ୤ଏହାକୁ ଗଭୀର ଭାବେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି୤ଏହି ବହି ସେ ଦିଗରେ କିଛି ଚିନ୍ତା ସୃଷ୍ଟି କରିବାରେ ସହାୟକ ହୋଇପାରିବ ବୋଲି ସେ ଆଶାପ୍ରକଟ କରିଥିଲେ୤ ଶ୍ରୀ ପଟ୍ଟନାୟକ କହିଥିଲେ, ବିରୋଧୀ ଦଳ ଖାଲି ସମାଲୋଚନା ନୁହେଁ, ଶାସନ କଳକୁ ବାଟ ଦେଖାଇବା ଉଚିତ୤ ସେ ବିରୋଧୀ ଦଳ ନେତା ଥିଲା ବେଳେ ଜଳସେଚନ,କୃଷି,ଶିଳ୍ପ,ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆଦି କ୍ଷେତ୍ରରେ ଦେଇଥିବା ତଥ୍ୟଭିତ୍ତିକ ପରାମର୍ଶ ଏହି ପୁସ୍ତକରେ ସ୍ଥାନ ପାଇଛି୤କୃଷିକୁ ଉଦାହରଣ ଦେଇ ସେ କହିଥିଲେ, କୃଷିର ବିକାଶ ହେଲେ ରାଜ୍ୟର ବିକାଶ ସମ୍ଭବ୤ପଞ୍ଜାବ ଓ ହରିୟାନା ପରି ରାଜ୍ୟ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଥିବାରୁ ସେଠାରେ ବିକାଶ ସମ୍ଭବ ହୋଇପାରିଛି୤ଓଡ଼ିଶାରେ କୃଷିର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବା ସହ କୃଷି ଭିତିକ ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ୤ ‘ବାଚସ୍ପତି ମହୋଦୟ’ ପୁସ୍ତକରେ ସ୍ଥାନ ପାଇଥିବା ଲେଖାଗୁଡ଼ିକ କେବଳ ସରକାରଙ୍କ ପାଇଁ ନୁହେଁ,ରାଜ୍ୟର ବୁଦ୍ଧିଜୀବୀମାନଙ୍କ ପାଇଁ ମଧ୍ୟ ଆହ୍ବାନ୤ବୁଦ୍ଧିଜୀବୀମାନଙ୍କ ପାଇଁ ମଧ୍ୟ ଆହ୍ବାନ୤ ପୁସ୍ତକକୁ ସମୀକ୍ଷା କରିଥିଲେ ପୂର୍ବତନ ଆଇନ ମନ୍ତ୍ରୀ ତଥା ଜାନକୀ ବଲ୍ଲଭ ବିରୋଧୀ ଦଳ ନେତା ଥିଲା ବେଳେ ବିରୋଧୀ ଦଳ ଉପନେତା ଥିବା ନରସିଂହ ମିଶ୍ର ୤ସେ କହିଥିଲେ, ବିଧାନସଭାର ମୁଖ୍ୟ କାମ ହେଉଛି ଆଇନ ପ୍ରଣୟନ କରିବା୤କିନ୍ତୁ ବର୍ତ୍ତମାନ ପ୍ରଣୟନ ହେଉଥିବା ଆଇନ ସମ୍ପର୍କରେ ୫୫ ଭାଗ ବିଧାୟକ କିଛି ଜାଣନ୍ତି ନାହିଁ୤ଅଧିକାଂଶ ବିଧାୟକ କୌଣସି ପ୍ରସ୍ତୁତି ନ କରି ବିଧାନସଭା ଆସୁଛନ୍ତି୤ ଫଳରେ ଗୃହରେ ଗଠନମୂଳକ ଆଲୋଚନା ହୋଇପାରୁ ନାହିଁ୤ ତେବେ ‘ବାଚସ୍ପତି ମହୋଦୟ’ ବହିଟି ପଢ଼ିଲେ, ବିଧାନସଭାକୁ କିଛି ଜ୍ଞାନୀ ଗୁଣି ଲୋକ ଆସୁଛନ୍ତି ବୋଲି ପାଠକମାନେ ଭାବିବେ୤ ଏହି ବହି ଏକ ଗବେଷଣା ଗ୍ରନ୍ଥ ପରି କାର୍ଯ୍ୟ କରିବ୤ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିଲା ସମୟରେ ଶାଳୀନତା ରକ୍ଷା କରି ବିରୋଧୀ ଦଳକୁ କଡ଼ା ସମାଲୋଚନା କରୁଥିଲେ୤ ସେହିପରି ବିରୋଧୀ ଦଳ ନେତା ଥିଲା ସମୟରେ ସରକାରଙ୍କୁ କେବଳ ସମାଲୋଚନା ନୁହେଁ,ରାଜ୍ୟର ହିତ ପାଇଁ ସରକାରଙ୍କୁ ଠିକ୍ ଉପଦେଶ ଦେଉଥିଲେ୤ ବିନା ତଥ୍ୟ,ପ୍ରମାଣରେ ସେ କୌଣସି ବକ୍ତବ୍ୟ ବିଧାନସଭାରେ ଦିଅନ୍ତି ନାହିଁ୤ ଜାନକୀ ବାବୁ ନିର୍ଦ୍ବନ୍ଦରେ ଓଡ଼ିଶାର ଜଣେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଓ ଶ୍ରେଷ୍ଠ ବିରୋଧୀଦଳ ନେତା ବୋଲି ଶ୍ରୀ ମିଶ୍ର କହିଥିଲେ୤ ଏହିପରି ଏକ ପୁସ୍ତକକୁ ବିଧାନସଭା ପକ୍ଷରୁ ପ୍ରକାଶ କରିବାର ଆବଶ୍ୟକତା ଥିଲା ବୋଲି ସେ କହିଥିଲେ୤ ସଭାରେ ଅଧ୍ୟକ୍ଷତା କରି ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ,ବର୍ତ୍ତମାନ ବିଧାନସଭାକୁ ଯେପରି ପରିଚାଳନା କରାଯାଉଛି ଏବଂ ସଭ୍ୟ,ସଭ୍ୟାମାନେ ଯେମିତି ଆଚରଣ କରୁଛନ୍ତି,ତାହା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି୤ ବିଧାନସଭା ଏକ ଅପେରା ପାର୍ଟିର ମଞ୍ଚ ପାଲଟିଯାଇଛି୤ଏହି ପରିପ୍ରେକ୍ଷୀରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଏହି ପୁସ୍ତକଟିର ଗୁରୁତ୍ବ ରହିଛି୤ଏଥିରୁ ଆଗାମୀ ପିଢ଼ି ଏହି ସମୟରେ ଓଡ଼ିଶାର ଏକ ଚିତ୍ର ପାଇପାରିବେ୤ ନୂଆ ଓଡ଼ିଶାକୁ ଚିହ୍ନିବାରେ,ଗଢ଼ିବାରେ ‘ବାଚସ୍ପତି ମହୋଦୟ’ ପୁସ୍ତକ ନିଶ୍ଚିତ ଉପାଦାନ ଯୋଗାଇବ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକଟ କରିଥିଲେ୤ ଆମ ଓଡ଼ିଶା ପକ୍ଷରୁ ପୁସ୍ତକ ପ୍ରକାଶନ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ,ଓଡ଼ିଶାରେ ପାଠକଙ୍କ ଅଭାବ ନାହିଁ୤ଏମାନଙ୍କୁ ଆକୃଷ୍ଟ କରିବା ପାଇଁ,ପିଲାଙ୍କୁ ବହି ପ୍ରତି ଆକୃଷ୍ଟ କରିବା ପାଇଁ ଆମ ଓଡ଼ିଶା ପକ୍ଷରୁ ନିୟମିତ ବହି ପ୍ରକାଶ ପାଉଛି୤ଏହା ବାଦ୍ ଓଡ଼ିଶାର ସ୍ବାଥଁ ଦୃଷ୍ଟିରୁ ଯେଉଁ ବହିର ପ୍ରାସଙ୍ଗିକତା ରହିଛି,ତାହାକୁ ଗୁରୁତ୍ବ ଦିଆଯାଇ ପ୍ରକାଶ କରାଯାଉଛି୤ ‘ଆମ ଓଡ଼ିଶା’ର ସମ୍ପାଦକ(ପ୍ରକାଶନ) ଅସିତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ୤ସାଧାରଣ ସମ୍ପାଦକ ସ୍ବରାଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |