୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଆମ ଓଡ଼ିଶା’ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଫଳ ପ୍ରକାଶିତ ୤ Download  
ଭାଷାଜ୍ଞାନ ହିଁ ଆମ ଭବିଷ୍ୟତ ‘ଆମ ଓଡ଼ିଶା’ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଫଳ ପ୍ରକାଶିତ, ୧୫୮୮୬ କୃତକାର୍ଯ୍ୟ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ୨୦୧୧ର ଫଳ ପ୍ରକାଶ ପାଇଛି ୤ ଆଜି ସମ୍ବାଦ ଭବନ ପରିସରରେ ଆୟୋଜିତ ଏକ ଉତ୍ସବରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ୤ ଏହି ଦୁଇଟି ପରୀକ୍ଷାରେ ରାଜ୍ୟର ୧୯୭୦ଟି ବିଦ୍ୟାଳୟ(୭୮୮ଟି ହାଇସ୍କୁଲ ଓ ୧୧୮୨ଟି ପ୍ରାଥମିକ ସ୍କୁଲ)ର ମୋଟ ୫୭ ହଜାର ୬ଶହ ୪୮ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ୤ ସେମାନଙ୍କ ମଧ୍ୟରୁ ୧୫ହଜାର ୮ଶହ ୮୬ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ୤ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଆକାରରେ ୧ବର୍ଷ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅନନ୍ୟ ପତ୍ରିକା ‘ପୌରୁଷ’ ପ୍ରଦାନ କରାଯିବ ୤ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ତାଲିକା ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ‘ସମ୍ବାଦ’ ପୃଷ୍ଠାରେ ପ୍ରକାଶ ପାଇବ ୤ ଏହି ପରିକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମେ ଶୁଦ୍ଧ ଓଡ଼ିଆ ଲିଖନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ୤ ବର୍ତ୍ତମାନ ଆମେ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା କରୁଛୁ ୤ ଏହାଦ୍ବାରା ଆମେ ସ୍କୁଲ ସ୍ତରରୁ ଓଡ଼ିଆ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଚଳାଇଛୁ ୤ ଗତ ୩ ବର୍ଷ ଧରି ନିୟମିତ ଭାବେ ଠିକ୍ ସମୟରେ ପରୀକ୍ଷା ଆୟୋଜନ ଓ ପରୀକ୍ଷା ଫଳ ପ୍ରକାଶନ କରିବାରେ ଆମକୁ ଯେଉଁ କର୍ମଚାରୀ ଓ ଶିକ୍ଷକମାନେ ସହଯୋଗ କରିଛନ୍ତି, ସେମାନେ ଧନ୍ୟର୍ବାଦାହ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ୤ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଯେଉଁ ୧୫ ହଜାର ପ୍ରତିଯୋଗୀ ଆଜି ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷାରେ କୃତିତ୍ବ ଅର୍ଜନ କରିଛନ୍ତି, ସେମାନଙ୍କ ମାଧ୍ୟମରେ ହିଁ ଓଡ଼ିଆ ଭାଷା ବଞ୍ଚିବ ୤ କାରଣ ସେମାନେ ହିଁ ହେଉଛନ୍ତି ଆମ ଭାଷା ସାହିତ୍ୟର ରକ୍ଷା କବଚ ୤ ଆଗାମୀ ବର୍ଷ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଏହିପରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରନ୍ତି ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ୤ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ‘ଆମ ଓଡ଼ିଶା’ର ଏହିପରି ଉଦ୍ୟମକୁ ପ୍ରଶଂସା କରିଥିଲେ ୤ ‘ଆମ ଓଡ଼ିଶା’ର ଉପାଧ୍ୟକ୍ଷ ଦାଶ ବେନହୁର କହିଲେ ଯେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ପ୍ରେରଣା ହିଁ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା କାର୍ଯ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରିବାରେ ସହାୟକ ହୋଇଛି ୤ ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର କହିଲେ ଯେ ରାଜ୍ୟର ୩୧୪ଟି ବ୍ଲକରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ ଓ ହସ୍ତାକ୍ଷର ପରୀକ୍ଷା ଆୟୋଜିତ ହୋଇଥିଲା ୤ ଭାଷାଜ୍ଞାନ ପରୀକ୍ଷାରେ ମୋଟ ୧୧ ହଜାର ୧୧୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ହସ୍ତାକ୍ଷର ପରୀକ୍ଷାରେ ୪ ହଜାର ୭୭୬ଜଣ ସଫଳ ହୋଇଛନ୍ତି ୤ ପରୀକ୍ଷା ଖାତା ମୂଲ୍ୟାୟନରେ ରାଜ୍ୟର ବିଭିନ୍ନ ସ୍କୁଲର ଶିକ୍ଷକମାନେ ସହଯୋଗ କରିଛନ୍ତି ୤ ଏହି ପରୀକ୍ଷା ପାଇଁ ଅଭ୍ୟାସ ପୁସ୍ତିକା, ପ୍ରଶ୍ନପତ୍ର ତିଆରିରେ ଆମ ଓଡ଼ିଶାର ଉପାଧ୍ୟକ୍ଷ ଦାଶ ବେନହୁରଙ୍କ ଅବଦାନ ପାଇଁ ତାଙ୍କୁ ଓ ସମସ୍ତ ଶିକ୍ଷକମାନଙ୍କୁ ଶ୍ରୀ ମିଶ୍ର ଧନ୍ୟବାଦ ଜଣାଇଥିଲେ ୤ ପ୍ରାରମ୍ଭରେ ‘ଆମ ଓଡ଼ିଶା’ର ସଂଯୋଜକ ଶିଶିର ସାହୁ ଆୟୋଜିତ ପରୀକ୍ଷା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ୤ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ପ୍ରକାଶକ ବିଜୟ ପଟ୍ଟନାୟକ, ସଂପାଦକୀୟ ପୃଷ୍ଠାର ସମ୍ପାଦକ ଡ଼. ଗୌରହରି ଦାସ, ବାର୍ତ୍ତା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ବାମାପଦ ତ୍ରିପାଠୀ, ଆମ ଓଡ଼ିଶା ପ୍ରକାଶନ ବିଭାଗର ସମ୍ପାଦକ ଅସିତ ମହାନ୍ତିଙ୍କ ସମେତ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର କର୍ମକର୍ତ୍ତାମାନେ ଉପସ୍ତିତ ଥିଲେ ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |