୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶା ପରିସରରେ ସ୍ବାଭିମାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି୤ Download  
ଶୀର୍ଷରେ ପହଞ୍ଚିବା ପାଇଁ ପ୍ରବଳ ଇଛାଶକ୍ତି ଜରୁରି: ଡାକ୍ତର ପଣ୍ଡା ପ୍ରବଳ ଇଛାଶକ୍ତି, ନିର୍ଦ୍ଦିଷ୍ଟ ଯୋଜନା ଏବଂ କଠିନ ଅଧ୍ୟବସାୟ ଦ୍ବାରା ଓଡ଼ିଆ ଜାତି ଶୀର୍ଷରେ ପହଞ୍ଚି ପାରିବ ବୋଲି ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡ଼ାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି ୤ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ବକ୍ତୃତାମାଳାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଡା.ପଣ୍ଡା କହିଲେ ଯେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ହେଲେ ମୂଳଦୁଆ ଟାଣ ହେବା ସହିତ ମନୋବଳ,ସ୍ବପ୍ନ ଓ ଯୋଜନା ସହିତ ଦଳଗତ ଉଦ୍ୟମ ନିହାତି ଆବଶ୍ୟକ ୤ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବକ୍ତୃତା ମାଳାରେ ଡା.ପଣ୍ଡା କହିଲେ ଯେ ହାଇଦ୍ରାବାଦ ଠାରେ ଏକ ବିଶ୍ବସ୍ତରୀୟ ଡ଼ାକ୍ତରଖାନା ପ୍ରତିଷ୍ଠା ସମୟରେ ଆଉ ଜଣେ ସହଯୋଗୀ ଡାକ୍ତର ତାଙ୍କ ଭିତରେ ଓଡ଼ିଆ ଅସ୍ମିତାର ନିଆଁ ଜାଳି ଦେଇଥିଲେ ୤ ଚିକିତ୍ସା ବିଜ୍ଞାନ ସହିତ ପ୍ରତ୍ନତତ୍ତ୍ବରେ ରୁଚି ରଖୁଥିବା ଡାକ୍ତର ରାଜା ରେଡ୍ଡ଼ି ଦିନେ ରାତ୍ରୀ ଭୋଜନ ସମୟରେ ପ୍ରଶ୍ନ କରିଥିଲେ ଯେ ଏକ ସମୟରେ ଓଡ଼ିଆମାନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜୁତି କରୁଥିବାର ପ୍ରତ୍ନତାତ୍ତ୍ବିକ ପ୍ରମାଣ ମିଳୁଛି ୤ ଏବେ ସେହି ଓଡ଼ିଆମାନେ ଗଲେ କୁଆଡେ ? ଏହି ପ୍ରସଙ୍ଗରେ ଡ଼ା.ପଣ୍ଡା କହିଲେ ଯେ ପ୍ରକୃତପକ୍ଷେ ଶହଶହ ବର୍ଷ ପୂର୍ବ ଓଡ଼ିଆମାନଙ୍କର ଜିନ୍ ଆମ ଭିତରେ ଆଜି ବି ରହିଛି ୤ କିନ୍ତୁ ଆଜିର ଓଡ଼ିଆମାନଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ହ୍ରାସ ପାଇଛି୤ ସେମାନେ ଆଉ ପୂର୍ବ ପରି ସ୍ବପ୍ନ ଦେଖିପାରୁ ନାହାଁନ୍ତି ୤ ତେଣୁ ପରିକଳ୍ପନା, କଠିନ ପରିଶ୍ରମ ଓ ଏକାଠି ମିଳିମିଶି କାମ କରିବାର ମନୋବୃତି ପୁଣି ଜାଗ୍ରତ ହେଲେ ଓଡ଼ିଆ ଜାତି ପୁଣି ନିଜର ଶ୍ରେଷ୍ଠତ୍ବ ପ୍ରତିପାଦିତ କରିପାରିବ ୤ ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଦାମୋଦର ପୁର ଗାରେ ଜନ୍ମିତ ଡା. ପଣ୍ଡା ପ୍ରୀତିପୁର ହାଇସ୍କୁଲରୁ ଶିକ୍ଷା ଆରମ୍ଭ କରି ବିଦେଶରେ ଉଚ୍ଚଶିକ୍ଷା ଓ ଚିକିତ୍ସା ସେବା ତଥା ପରେ ମୁମ୍ବାଇରେ ବିଶ୍ବବିଖ୍ୟାତ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ପର୍ଯ୍ୟନ୍ତ ତାଙ୍କର ସଫଳ ଯାତ୍ରାର କାହାଣୀ ବର୍ଣ୍ଣନା କରିଥିଲେ୤ ପ୍ରତି କ୍ଷେତ୍ରରେ ଉଚିତ ସଂକଳ୍ପ ହିଁ ସଫଳତା ଆଣିଦିଏ ବୋଲି ଡାକ୍ତର ପଣ୍ଡା ନିଜ ଆଦ୍ୟ ଜୀବନର ଅନୁଭୂତି ବର୍ଣ୍ଣନା କରି କହିଥିଲେ ଯେ, ସେ ମଧ୍ୟ ଅନ୍ୟ ଚପଳ ଛାତ୍ରଙ୍କ ପରି ପ୍ରାଥମିକ ଶିକ୍ଷା ଓ ହାଇସ୍କୁଲ ଶିକ୍ଷା ବେଳେ ପାଠପଢାରେ ଅବହେଳା କରିବାକୁ ଚେଷ୍ଟା କରିଥିଲେ ୤ ମାତ୍ର ମା’ଙ୍କ ଅନୁଶାସନ ଓ ପ୍ରଧାନଶିକ୍ଷକ ସତୀଶ ଚନ୍ଦ୍ର ଦାସଙ୍କ ଶୃଙ୍ଖଳା ତାଙ୍କୁ ଏପରି ଶିକ୍ଷା ଦେଇଥିଲା ଯେ ଭବିଷ୍ୟତରେ ସେ କୌଣସି କାର୍ଯ୍ୟକୁ ସାମାନ୍ୟ ଅବହେଳା କରିବାକୁ ସାହସ କରି ନଥିଲେ ୤ ତାର ଫଳଶୃତି ହେଉଛି ତାଙ୍କର ଏ ସଫଳତା ୤ ତେଣୁ ଜଣେ ଭଲ ଶିକ୍ଷକ ସହିତ ଅଭିଭାବକ ମାନଙ୍କ ଅନୁଶାସନ ଠିକ୍ ରହିଲେ ଜଣେ ଗ୍ରାମାଞ୍ଚଳରୁ ଓ ସରକାରୀ ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କଲେ ମଧ୍ୟ ସଫଳତାର ଶିଖରରେ ପହଞ୍ଚିବା ଅସମ୍ଭବ ନୁହେଁ ବୋଲି ଡା.ପଣ୍ଡା କହିଛନ୍ତି ୤ଏସିଆନ୍ ହାର୍ଟ ଇଷ୍ଟିଚ୍ୟୁଟ୍ ପରି ଓଡ଼ିଶାରେ ଏକ ବିଶ୍ବସ୍ତରୀୟ ହୃଦ୍ ରୋଗ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି ୤ ଏହି ଡ଼ାକ୍ତରଖାନାରୁ ଯେଉଁ ଲାଭାଂଶ ମିଳିବ ତାହା ଓଡ଼ିଶାର ଗରିବ ଲୋକଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି ଡ଼ା.ପଣ୍ଡା ପ୍ରତିଶୃତି ଦେଇଥିଲେ୤ ଡା.ପଣ୍ଡା ଆହୁରି କହିଲେ ଯେ ଓଡ଼ିଶାରେ ସ୍ବାସ୍ଥ୍ୟ ସଚେତନତା ବିଶେଷ ଜରୁରୀ ୤ ବିଶେଷତଃ ହୃଦ୍ ରୋଗରୁ ଦୂରେଇ ରହିବା ପାଇଁ ନିଜ ଖାଦ୍ୟାଭାସ ବଦଳାଇବାକୁ ପଡ଼ିବ ୤ ଏତଦବ୍ୟତୀତ ନିୟମିତ ବ୍ୟାୟାମ ,ତମାଖୁ ଓ ଧୂମପାନ ଠାରୁ ଦୁରେଇ ରହିବା ସହିତ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ଏହି ରୋଗଠାରୁ ନିରାପଦ ଦୁରତ୍ବରେ ରହି ହେବ୤ ଏହି ଅବସରରେ ସେଠାରେ ଉପସ୍ଥିତ ଡ଼.ପାଣିଗ୍ରାହୀ ଓ ଡ଼. ଗୌରହରି ଦାସ ପ୍ରମୁଖ ଡ଼. ପଣ୍ଡାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ୤ ଡ଼. ପଣ୍ଡା ଏହି ସବୁ ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ ଶିକ୍ଷା ପାଇଁ ଶିକ୍ଷାନୁଷ୍ଠାନ ନୁହେଁ, ଶିକ୍ଷକ ଓ ପିତାମାତା ହିଁ ଗୁରୁତ୍ବପୂର୍ଣ୍ଣ୤ଏତଦବ୍ୟତୀତ ବାହାରେ ମିଳୁଥିବା ପାଟିସୁଆଦିଆ ଖାଦ୍ୟ ଅପେକ୍ଷା ଆମ ଓଡ଼ିଆ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ଡ଼.ପଣ୍ଡା ମନ୍ତବ୍ୟ ଦେଇଥିଲେ୤ ଉତ୍ସବରେ ଅଧ୍ୟକ୍ଷ୍ୟତା କରି ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ଓଡ଼ିଆଜାତିକୁ ବିଶ୍ବସ୍ତରରେ ପ୍ରତିଷ୍ଠା କରିବା ପାଇଁ ମଧୁବାବୁ ସ୍ବପ୍ନ ଦେଖିଥିଲେ ୤ ଡ଼ାକ୍ତର ପଣ୍ଡା ଆମ ସମୟର ସଫଳ କାହାଣୀର ଜଣେ ନାୟକ ବୋଲି ସେ ବର୍ଣ୍ଣନା କରିଥିଲେ୤ଏକ ସାଧାରଣ ସ୍କୁଲରେ ପାଠ ପଢି ବିଶ୍ବ ପ୍ରସିଦ୍ଧି ଲାଭ କରିଥିବା ଡ଼ା.ପଣ୍ଡାଙ୍କ ଜୀବନ ଯାତ୍ରାରୁ ସାଧାରଣ ପରିବାରର ପିଲାମାନେ ମଧ୍ୟ ଅନୁପ୍ରାଣିତ ହୋଇପାରିବେ୤ ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ୧୯୯୬ ମସିହାରେ ଆମ ଓଡ଼ିଶା ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରି ଆସୁଛି ୤ ଏତଦବ୍ୟତୀତ ରକ୍ତଦାନ ଓ ମତଦାନପାଇଁ ନୂତନପିଢ଼ୀ କୁ ଅନୁପ୍ରାଣିତ କରିବାକୁ ଉଦ୍ୟମ ଜାରି ରଖିଛି ୤ ଆସନ୍ତା ୨୦୧୫ ମସିହା ସୁଦ୍ଧା ଓଡ଼ିଶାକୁ ସ୍ବେଚ୍ଛାକୃତ ରକ୍ତଦାନ ଦ୍ବାରା ଆତ୍ମନିର୍ଭରଶୀଳ କରିବାକୁ ଯୋଜନା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ ୤ ଏହି ଅବସରରେ ଶ୍ରୀ ପଟ୍ଟନାୟକ ଡା.ପଣ୍ଡାଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରିଥିଲେ ୤ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶେଷରେ ପ୍ରକାଶନ ବିଭାଗର ସଂପାଦକ ଅସିତ୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |