୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଆମ ଓଡ଼ିଶାର ନୂଆବହି ‘ଶ୍ରୀଜଗନ୍ନାଥ’ ଓ ‘ବିଡମ୍ବିତ ଦଶନ୍ଧି’ ଉନ୍ମୋଚିତ Download  
‘ଶ୍ରୀଜଗନ୍ନାଥ’ ଓ ‘ବିଡମ୍ବିତ ଦଶନ୍ଧି’ ଉନ୍ମୋଚିତ କନକ ଟିଭିର ‘ଆମ ବହି’ କାର୍ଯ୍ୟକ୍ରମରେ ଏ ମାସର ନୂଆବହି ଭାବରେ ‘ଶ୍ରୀଜଗନ୍ନାଥ’ ଓ ‘ବିଡମ୍ବିତ ଦଶନ୍ଧି’ ଉନ୍ମୋଚିତ ହୋଇଛି ୤‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରବିବାର ରାତି ୮ଟାରେ ପ୍ରସାରିତ ହୋଇଥିଲା ୤ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କ ଦ୍ବାରା ଲିଖିତ ‘ଶ୍ରୀଜଗନ୍ନାଥ’ ପୁସ୍ତକକୁ ଉନ୍ମୋଚନ କରିଥିଲେ ବିଶିଷ୍ଟ ଲେଖକ ତଥା ଆସାମର ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକ ୤ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସକ ଭାବରେ ଦୀର୍ଘକାଳର ଅଭିଜ୍ଞତା ଓ ଅନୁଭୂତି ଥିବା ଯୋଗୁଁ ଲେଖକ ଶ୍ରୀ ତ୍ରିପାଠୀ ପୁସ୍ତକଟିକୁ ତ୍ରୁଟିଶୂନ୍ୟ ଓ ତଥ୍ୟପୂର୍ଣ୍ଣ କରିପାରିଛନ୍ତି ଏବଂ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ସବୁ ଦିଗକୁ ସୁନ୍ଦର ଓ ସୁଖପାଠ୍ୟ ଭାଷାରେ ଏଥିରେ ଉପସ୍ଥାପିତ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ୤ ପୁସ୍ତକର ସମୀକ୍ଷା କରି ଲେଖକ ଓ ସ୍ତମ୍ଭକାର ତଥା ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର ଏହି ପୁସ୍ତକ ବହୁଦିନର ଏକ ଆବଶ୍ୟକତାକୁ ପୂରଣ କରିଛି ବୋଲି କହିଥିଲେ ୤ ଲେଖକ ଶ୍ରୀ ତ୍ରିପାଠୀ ଉପସ୍ଥିତ ରହି ଏହି ପୁସ୍ତକ ରଚନାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ ୤ କାର୍ଯ୍ୟକ୍ରମର ଦ୍ବିତୀୟ ଭାଗରେ ‘ସମ୍ବାଦ’ର ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ରଣଜିତ ଗୁରୁଙ୍କ ‘ବିଡମ୍ବିତ ଦଶନ୍ଧି’କୁ ଉନ୍ମୋଚନ କରିଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର ୤ ଚଳିତ ସରକାରର ଶାସନ ଓ ପ୍ରାଶାସନିକ ବ୍ୟବସ୍ଥା ସଂପର୍କରେ ପୁସ୍ତକର ଲେଖାଗୁଡ଼ିକ ଏକ ନିରପେକ୍ଷ ଓ ବାସ୍ତବ ଚିତ୍ର ବୋଲି ସେ କହିଥିଲେ୤ ରାଜ୍ୟର ଓ ରାଜ୍ୟ ଶାସନର ସାମାଜିକ,ଅର୍ଥନୈତିକ ଓ ରାଜନୈତିକ ସମୀକ୍ଷା ହେଲେ ମଧ୍ୟ ଆଲୋଚନା ଗୁଡ଼ିକ ଅତ୍ୟନ୍ତ ସୁଖପାଠ୍ୟ ଓ ରୋଚକ ହୋଇଛି ବୋଲି ପୁସ୍ତକର ସମୀକ୍ଷକ ଅଧ୍ୟାପକ ବିଶ୍ବରଂଜନ ମତ ଦେଇଥିଲେ ୤ ଏହି ଅବସରରେ ଲେଖକ ଶ୍ରୀ ଗୁରୁ ପୁସ୍ତକରେ ସଂକଳିତ ଲେଖାଗୁଡ଼ିକର ଅନ୍ତଃସ୍ବର ସଂପର୍କରେ ସୂଚନା ଦେଇଥିଲେ୤ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ‘ଶ୍ରୀଜଗନ୍ନାଥ’ ନାମରେ ଏକ ପୁସ୍ତକ ପ୍ରକାଶ ପାଇବା ନେଇ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଆନନ୍ଦ ପ୍ରକାଶ ପରିବା ସହିତ ‘ବିଡମ୍ବିତ ଦଶନ୍ଧି’ ପୁସ୍ତକ ପ୍ରକାଶନର ପ୍ରାସଙ୍ଗିକତା ସଂପର୍କରେ ସୂଚନା ଦେଇଥିଲେ୤ ପ୍ରକାଶନ ସଂପାଦକ ଅସିତ ମହାନ୍ତି ଏହି ଦୁଇ ପୁସ୍ତକର ପ୍ରକାଶନ ପୃଷ୍ଠଭୂମି ସଂପର୍କରେ ଆଲୋକପାତ କରିବା ସହିତ ‘ଶ୍ରୀଜଗନ୍ନାଥ’ ପୁସ୍ତକରେ ସ୍ଥାନିତ ଶ୍ରୀଜଗନ୍ନାଥଙ୍କ ବେଶର ରଙ୍ଗିନ ଫଟୋଚିତ୍ର ପୁସ୍ତକଟିକୁ ଅଧିକ ଆଦୃତ କରିବ ବୋଲି କହିଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |