୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
୬୦ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା Download  
୬୦ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା ନିଜକୁ ଅଲୋଡ଼ା ନ ଭାବି ରାଷ୍ଟ୍ର ଋଣ ଶୁଝିବା ଜରୁରି ସମାଜ, ରାଷ୍ଟ୍ର, ଆମକୁ ଯଥେଷ୍ଟ ଦେଇଛି୤ଆମ୍ଭେମାନେ ଶିକ୍ଷିତ, ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ୤ କିନ୍ତୁ ୬୦ ବର୍ଷ ବୟସରେ ଅବସର ଗ୍ରହଣ ପରେ ଆମେମାନେ କ’ଣ କରିବା ସେଥିପାଇଁ କୌଣସି ଯୋଜନା ନାହିଁ୤ ଏ ପରିପ୍ରେକ୍ଷୀରେ ସମାଜରେ ଆମେ ଯେପରି ଅଲୋଡ଼ା ନ ହେବା, ଆମ ଅସ୍ତିତ୍ବ ଯେପରି ଅପ୍ରାସଙ୍ଗିକ ନ ହେବ ସେଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ୤ ୬୦ ପରବର୍ତ୍ତୀ ଜୀବନ ହେଉଛି ରାଷ୍ଟ୍ର ପାଇଁ ଶ୍ରେଷ୍ଠ ସମ୍ପଦ୤ ତେଣୁ ରାଷ୍ଟ୍ରର ଋଣ ପରିଶୋଧ କରିବା ପାଇଁ ଆମକୁ କାମ କରିବାକୁ ପଡ଼ିବ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି୤ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ଆମ ଓଡ଼ିଶା’ ପକ୍ଷରୁ ‘ନୂଆ ଜୀବନ’ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ‘୬୦ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା’ ରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ କହିଲେ ଯେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରଥମେ ଭାଷାଜ୍ଞାନ କର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା୤ ପରେ ରକ୍ତଦାନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସମଗ୍ର ରାଜ୍ୟରେ ‘ଆମ ଓଡ଼ିଶା’ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି୤ ଗତବର୍ଷ ଠାରୁ ମତଦାନ କାର୍ଯ୍ୟକ୍ରମ ଜରିଆରେ ଭୋଟଦାନ ପ୍ରତି ସଚେତନତା ସୃଷ୍ଟି କରାଯାଉଛି ୤ ଏହି କାର୍ଯ୍ୟକ୍ରମରେ ‘ ନୂଆ ଜୀବନ’ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ କରାଯାଉଛି ୤ ୬୦ ବର୍ଷ ଛୁଇଁଥିବା ଓ ଛୁଇଁବାକୁ ଥିବା ବ୍ୟକ୍ତିମାନେ ନିଜକୁ ଅଲୋଡ଼ା ନ ଭାବି ସମାଜ ପ୍ରତି ଥିବା ନିଜର କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ୤ ଅବସର ବୟସ ୬୦ ବର୍ଷ ଅତିକ୍ରମ କରିବା ପରେ ଆହୁରି ପାଖାପାଖି ୨୦ ବର୍ଷ କାମ କରିବାର ଦକ୍ଷତା, ଯୋଗ୍ୟତା ଆମ ଭିତରେ ରହୁଛି ୤ ମାତ୍ର ଆମ ପରିବାର, ବ୍ୟବସ୍ଥା ଆମକୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟବସ୍ଥିତ ଯୋଜନାରେ ବାନ୍ଧି ରଖିଛନ୍ତି୤ ପରବର୍ତ୍ତୀ ୨୦ରୁ ଉର୍ଧ୍ବ ବର୍ଷର ସକ୍ରିୟ ଜୀବନ ପାଇଁ କୌଣସି ଯୋଜନା ନାହିଁ୤ ବର୍ତମାନ ସମାଜର ଅଧୋଗତିକୁ ରୋକିବା ପାଇଁ ୬୦ ବର୍ଷ ଅତିକ୍ରମ କରିଥିବା ‘ନବଯୁବକ’ ମାନେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ୤ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଅତିତରେ ରାଜ୍ୟ ରାଜନୀତିକୁ ଜଙ୍ଗଲ ନିୟନ୍ତ୍ରଣ କରୁଥିଲା୤ ଜଙ୍ଗଲ ଲୁଟ ପରେ ଏବେ ଖଣି ହିଁ ରାଜନୀତିକୁ ନିୟନ୍ତ୍ରଣ କରୁଛି୤ ପରିବର୍ତ୍ତିତ ପରିସ୍ଥିତିରେ ଏବେ ସାମାଜିକ ଅଧୋଗତି ଆମକୁ ଚିନ୍ତିତ କରିଛି୤ ଏଣୁ ନିଜକୁ ଅଲୋଡ଼ା ନ ଭାବି ‘ଆମ ଓଡ଼ିଶା’ ମାଧ୍ୟରେ ଏକତ୍ରିତ ହୋଇ ଆମେ ସମାଜର ଋଣ ସୁଝିବାକୁ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି ୤ଏହି ଅବସରରେ ସମାଜରେ ୬୦ ପରବର୍ତୀ ଜୀବନରେ ନିଜ କାର୍ଯ୍ୟଧାରାର ସଫଳତାରେ ସମାଜ ପାଇଁ ଆଲୋକବର୍ତିକା ସାଜିଥିବା ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି, ପ୍ରତିଷ୍ଠିତ ହୃଦରୋଗ ବିଶେଷଜ୍ଞ ଡ. ଜେ ପି ଦାସ, ଜର୍ମାନୀରେ ଅବସ୍ଥାପିତ ଓଡ଼ିଆ ଇଞ୍ଜିନିୟର ଡ. ରାଜେନ୍ଦ୍ର ନାରାୟଣ ଦାସ, ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର, ଓ ଗାନ୍ଧୀବାଦୀ ନେତା, ଭୂଦାନ କର୍ମୀ, ସାଂସଦ ଏ ଭି ସ୍ବାମୀ ଅତିଥି ଆଲୋଚକ ଭାବେ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |