୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
‘ଆମ ଓଡ଼ିଶା’ ବକ୍ତୃତାମାଳାରେ ମନୋଜ ଦାସଙ୍କ ଉଦ୍ ବୋଧନ
‘ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଅପୂର୍ଣ୍ଣତାର ପ୍ରତିନିଧି: କିନ୍ତୁ ପୂର୍ଣ୍ଣତାର ପ୍ରତିଶ୍ରୁତି’୤ ‘ଶ୍ରୀଜଗନ୍ନାଥ କିମ୍ବଦନ୍ତୀ: ଏକ ଭବିଷ୍ୟତଧର୍ମୀ ପରମ୍ପରା’- ଶୀର୍ଷକ ବକ୍ତୃତା ଦେଇ ଓଡ଼ିଆ ସାରସ୍ବତ ଜଗତର ପ୍ରଥିତଯଶା ସାହିତ୍ୟିକ, ବାଗ୍ମୀ ମନୋଜ ଦାସ ଏହା କହିଛନ୍ତି୤ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରବିବାର ସନ୍ଧ୍ୟାର ଏଠାରେ ଆୟୋଜିତ ‘ସ୍ବାଭିମାନ ଦିବସ ଓ ଆମ ଓଡ଼ିଶା ବକ୍ତୃତାମାଳା’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଦାସ କହିଲେ ଯେ ସଚେତନ ଅବା ଅବଚେତନ ଭାବେ ଆମ ଚିନ୍ତା, ଚେତନା ଓ କାର୍ଯ୍ୟକୁ ଯେଉଁ ଶକ୍ତି ପରିଚାଳିତ କରୁଛି, ତାହା ହେଉଛି ଜଗନ୍ନାଥ ସଂସ୍କୃତି୤ ପ୍ରତି ଜନ୍ମରେ ବିଧାତା ଆମକୁ ନିର୍ଦିଷ୍ଟ ପରିସରରେ କିଛି ଅଭିଜ୍ଞତା ସଞ୍ଚୟ କରିବାକୁ ସୁଯୋଗ ଦେଇଥାନ୍ତି୤ ସତର୍କ ଦୃଷ୍ଟିକୋଣ ସହିତ ଅଭିଜ୍ଞତା ଧରି ଆତ୍ମା ଆଗେଇ ଚାଲିଛି୤ ଅଜ୍ଞାନରୁ ଜ୍ଞାନ ଅଭିମୁଖେ ଯେଉଁ ଅଭିଯାତ୍ରା ଆରମ୍ଭ ହୋଇଛି, ସେଥିରେ ମିଳୁଥିବା ଉପଲବ୍ ଧି ଆମକୁ ସଚେତନ କରିଥାଏ୤ ଏ ପରିପ୍ରେକ୍ଷୀରେ ‘ସ୍ବଧର୍ମ’ ଏକ ବ୍ୟକ୍ତିଗତ ପ୍ରଗତିର ବିନ୍ଦୁ୤ ଯେଉଁ ବିନ୍ଦୁରେ ପହଞ୍ଚିଲେ ଆମେ ସଚେତନ ହେଉ୤ ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଆମକୁ ‘ସ୍ବଧର୍ମ’ ସମ୍ପର୍କରେ ସଚେତନ କରେ ବୋଲି ଶ୍ରୀ ଦାସ କହିଥିଲେ୤ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ଦାସ କହିଲେ ଯେ, ଦେଶର ପ୍ରାଚୀନ ଚାରି ଧାମ ମଧ୍ୟରୁ ପୁରୀ ହେଉଛି ଅନ୍ୟତମ୤ ଏଠାରେ ପୂଜା ପାଉଥିବା ଦିଅଁ ଗୋଷ୍ଠୀବାଦଠାରୁ ଉର୍ଧ୍ବରେ୤ ସେ ବୌଦ୍ଧ ହୁଅନ୍ତୁ, ଜୈନ ହୁଅନ୍ତୁ, ଅଥବା ଶୂନ୍ୟବାଦୀ, ସମସ୍ତେ ଦବି କରନ୍ତି ଶ୍ରୀଜଗନ୍ନାଥ ଆମର୤ ଅଥଚ ଏହାକୁ ନେଇ କେବେ ସଂଘର୍ଷ ହୋଇ ନାହିଁ୤ ଶଙ୍କରାଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କ ଚକାଆଖିରେ କଟାକ୍ଷ ଦେଖିଛନ୍ତି୤ ତୁଳସୀ ଦାସ ରାମ ଭାବେ ତାଙ୍କୁ ଦେଖିଛନ୍ତି୤ କହିବା ବାହୂଲ୍ୟ, ପ୍ରତ୍ୟେକ ବକ୍ତିର ନିଜସ୍ବ ଅନୁଭୂତି, ଶ୍ରଦ୍ଧା, ଶକ୍ତି ଯେଉଁ ପର୍ଯ୍ୟାୟରେ ରହିଛି, ଶ୍ରୀଜଗନ୍ନାଥ ତାଙ୍କୁ ଠିକ୍ ସେମିତି ମିଳିଛନ୍ତି୤ ଶ୍ରୀ ଦାସ କହିଥିଲେ ଯେ ଆନୁଷ୍ଠାନିକ ଧର୍ମର ବିଲୁପ୍ତି ନିଶ୍ଚିତ୤ ତେଣୁ ଭବିଷ୍ୟତରେ ଭଗବାନ-ଭକ୍ତର ସମ୍ପର୍କ ବ୍ୟକ୍ତିଗତ ପର୍ଯ୍ୟାୟରେ ରହିବ୤ ଏ ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ଆନୁଷ୍ଠାନିକ ଧର୍ମରୁ ଭିନ୍ନ୤ ମଣିଷ-ବ୍ରହ୍ମ ଏକ, ବ୍ରହ୍ମ ମଣିଷଠାରୁ ଅଭିନ୍ନ୤ ମାତ୍ର ଦୁର୍ଭାଗ୍ୟ, ଆମେ ଏହାକୁ ଅନୁଭବ କରିପାରନ୍ତି ନାହିଁ୤ ଇନ୍ଦ୍ରଦ୍ୟୁମ୍ନ, ବିଶ୍ବାବସୁ, ବିଦ୍ୟାପତି, ଲଳିତା କିମ୍ବଦନ୍ତୀର ବିଭିନ୍ନ ଉଦାହରଣ ଦେଇ ଶ୍ରୀ ଦାସ କହିଲେ ଯେ ଦାରୁ ପ୍ରଥମ ଚେତନା, ବିବର୍ତନରେ ଗୋଟିଏ ଯୁଗର ସୂତ୍ରପାତ୤ ଆମ ଦିଅଁ (ଶ୍ରୀଜଗନ୍ନାଥ) ଅପୂର୍ଣ୍ଣ, ତେଣୁ ମାନବ ଜାତି ଅପୂର୍ଣ୍ଣ୤ କିନ୍ତୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଶ୍ରୀଜଗନ୍ନାଥ କିମ୍ବଦନ୍ତୀ ଭବିଷ୍ୟଧର୍ମୀ୤ ଏହାର ପ୍ରମାଣ ହେଉଛି ଦଶାବତାର୤ ଶ୍ରୀ ଜଗନ୍ନାଥ କଳ୍ କୀ ଅବତାରରେ ମ୍ଳେଚ୍ଛ ସଂହାର କରିବ ନାହିଁ୤ ମ୍ଳେଚ୍ଛତ୍ବ ସଂହାର କରିବେ୤ ମଣିଷ ଚେତନାରୁ ଅବିଶ୍ବାସ ଦୂର ହେବ୤ ଏକତା, ମୁକ୍ତି, ଜ୍ଞାନ, ଶକ୍ତି, ଭକ୍ତି, କର୍ମ ସମନ୍ବୟରେ ଚେତନାର ବିଶ୍ବ ରାଜପଥରେ ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିଚାଲିବ୤ ଏହା ହିଁ ଭବିଷ୍ୟଧର୍ମୀ କିମ୍ବଦନ୍ତୀ୤ ଶ୍ରୀଜଗନ୍ନାଥ ଆମ ସହିତ ଅଛନ୍ତି୤ ଅପେକ୍ଷା କରିଛନ୍ତି ମଣିଷ କେବେ ଅବିଶ୍ବାସରୁ ମୁକ୍ତ ହେବ୤ ସାମୂହିକ ଭାବେ ନ ହେଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଅନ୍ତତଃ ଏ ଦିଗରେ ଚେଷ୍ଟା ହେବା ଉଚିତ ବୋଲି ଶ୍ରୀ ଦାସ କହିଥିଲେ୤ ଏହି ଅବସରରେ ଶ୍ରୀ ଦାସ କହିଥିଲେ ଯେ ଜଣେ ବିରଳ ପ୍ରତିଭା ଯାହାଙ୍କ ରଚନା ପାଶ୍ଚାତ୍ୟ ସାହିତ୍ୟ ହେଉ ଅଥବା ଆରବିଆନ୍ ନାଇଟ୍ସ, ସମସ୍ତଙ୍କୁ ପ୍ରଭାବିତ କରିଛି, ସେ ହେଉଛନ୍ତି ପଞ୍ଚତନ୍ତ୍ରର ଲେଖକ ପଣ୍ଡିତ ବିଷ୍ଣୁ ଶର୍ମା୤ ଆଉ ସେ ହେଉଛନ୍ତି ଓଡ଼ିଶାର ସନ୍ତାନ୤ ଯଦିଓ ଏହା ଉପରେ ଯଥେଷ୍ଟ ଗବେଷଣା ହେବା ଉଚିତ୤ ପରେ ଶ୍ରୀ ଦାସ ଦର୍ଶକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ୤ ସଭାପତୀୟ ଅଭିଭାଷଣ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ମଧୁବାବୁଙ୍କ ଜୟନ୍ତୀକୁ ‘ଆମ ଓଡ଼ିଶା’ ପକ୍ଷରୁ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି୤ ‘ଆମ ଓଡ଼ିଶା’ର ଏହି ଉଦ୍ୟମକୁ ରାଜ୍ୟର ବହୁ ଅନୁଷ୍ଠାନ ଗ୍ରହଣ କରି ଆଜିର ଦିବସକୁ ସ୍ବାଭିମାନ ଦିବସ ଭାବେ ପାଳନ କରିବା ଆରମ୍ଭ କରିଛନ୍ତି୤ ଆମକୁ ମନେ ରଖିବାକୁ ହେବ ଯେ ଆମ ଭିତରେ ଏପରି ପ୍ରତିଭା ଅଛନ୍ତି, ଯେଉଁମାନେ କି ସାରା ଭାରତକୁ ନେତୃତ୍ବ ଦେଇପାରିବେ୤ ମଧୁସୂଦନଙ୍କ ସଂଘର୍ଷର କାହାଣୀ ଯଦି ଆମ ଯୁବ ପିଢ଼ିଙ୍କୁ ଅନୁପ୍ରାଣିତ କରିପାରୁଛି, ଆମକୁ ମନେ ରଖିବାକୁ ହେବ ଯେ, ଏ ଜାତି ଏତେ ତଳକୁ ଯାଇନାହିଁ, ଯେପରି ଭାବେ ଚିତ୍ରଣ କରାଯାଉଛି୤ ତେବେ ଆମେ କେବଳ ରାଜନୀତି, ରାଜନୈତିକ ବ୍ୟକ୍ତି ଓ ବ୍ୟବସ୍ଥା ଉପରେ ଦୋଷ ଲଦି ଦେଲେ ହେବ ନାହିଁ୤ ଆମକୁ ଏଥିରେ ସଂଶ୍ଳିଷ୍ଟ ହେବାକୁ ପଡ଼ିବ ଓ ବିକାଶର ଧାରାକୁ ଆଗେଇ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ୤ ଆରମ୍ଭରେ ‘ଆମ ଓଡ଼ିଶା’ର ସଚିବ ସ୍ବରାଜ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ‘ଆମ ଓଡ଼ିଶା’ ପ୍ରକାଶନ ବିଭାଗର ସମ୍ପାଦକ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ୤ ଏହି ଅବସରରଆ ଡ. ବିମଳେନ୍ଦୁ ମହାନ୍ତିଙ୍କ ଦ୍ବାରା ରଚିତ ଓ ଆମ ଓଡ଼ିଶା ଦ୍ବାରା ପ୍ରକାଶିତ ପୁସ୍ତକ ‘ଆମ ସୁଭାଷ’କୁ ଶ୍ରୀ ଦାସ ଉନ୍ମୋଚନ କରିଥିଲେ୤ ସେହିପରି ବିଦ୍ୟାପୁରୀ ପ୍ରକାଶନୀ ଦ୍ବାରା ପ୍ରକାଶିତ, ଡ. ବିଜୟାନନ୍ଦ ସିଂହ ଓ ଡ. ସୁନୀଲ ପୃଷ୍ଟିଙ୍କ ଦ୍ବାରା ସଂକଳିତ ପୁସ୍ତକ ‘ମନୋଜ୍ଞ ମନୋଜ ଗଳ୍ପମାଳା’ ପୁସ୍ତକକୁ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ୤ ଏହି ଅବସରରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କୁ ଉପଢୌକନ ଦେଇ ସମ୍ବର୍ଧିତ କରିଥିଲେ୤ ରାଜ୍ୟର ବହୁ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜୀବୀ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଆୟାଜିତ ଏହି ସାରସ୍ବତ ସମାବେଶରେ ସାମିଲ୍ ହୋଇଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |