୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।

Back

   
ଶାସ୍ତ୍ରୀୟ ମାନ୍ୟତାରୁ ଆରମ୍ଭ ହେଉ ନୂଆ ସଂକଳ୍ପ
ଭୁବନେଶ୍ବର, ୨୫/୭/୨୦୧୩: ସବୁ ବଢ଼ୁଛି ଓ ବଦଳୁଛି୤ ହେଲେ ଓଡ଼ିଆ ଭାଷାର ଭାଗ୍ୟ ବଦଳି ପାରୁନାହିଁ୤ ଭାଷା ସଂକ୍ରାନ୍ତ ଗବେଷଣା ହୋଇପାରୁନାହିଁ୤ ବରଂ, ଭାଷା ଦିନକୁଦିନ ଅଧିକ ସଂକୁଚିତ ହେଉଛି୤ ଏବେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଭାଷା କମିଟି ସୁପାରିସ୍ କରିଛି୤ କ୍ୟାବିନେଟ୍ ଅନୁମୋଦନ ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବ୤ ମାତ୍ର ସଂକୁଚିତ ଅବସ୍ଥାରୁ ମୁକ୍ତି ପାଇଁ ଲୋଡ଼ା ପଡ଼ୁଛି ଏକ ଓଡ଼ିଆ ବିଶ୍ବବିଦ୍ୟାଳୟ୤ ଓଡ଼ିଆ ଭାଷା ଗବେଷଣା ଓ ଅଧ୍ୟୟନ ପାଇଁ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରମୁଖ ମାଧ୍ୟମ ହେବ୤ ଅନ୍ୟ ଅନେକ ରାଜ୍ୟରେ ଭାଷାକୁ ନେଇ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଇଛି୤ ଏଥିପାଇଁ ସବୁ ସ୍ତରରେ ପ୍ରୟାସ ଆବଶ୍ୟକ୤ ଆଜି ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସମ୍ବାଦ ଭବନରେ ସମ୍ବର୍ଧିତ ହେବା ଅବସରରେ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଏହା କହିଛନ୍ତି୤ ଆଜି ଅପରାହ୍ଣରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଧନା ସଭାରେ ପଦ୍ମଶ୍ରୀ ପଟ୍ଟନାୟକ କହିଲେ ଯେ ମୋର କୌଣସି ସମ୍ବର୍ଧନା ଆବଶ୍ୟକ ନାହିଁ୤ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଲ ତାହା ହିଁ ହେବ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ୤ ଓଡ଼ିଶା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦାବିରେ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଉଦ୍ୟମରେ ଏକ ରିପୋର୍ଟ ପଦ୍ମଶ୍ରୀ ପଟ୍ଟନାୟକ ପ୍ରଥମେ ପ୍ରସ୍ତୁତ କରିଥିଲେ ଓ ଭାଷା ବିଶେଷଜ୍ଞ କମିଟିରେ ତାହା ଉପସ୍ଥାପିତ ହୋଇଥିଲା୤ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ରିପୋର୍ଟ ପ୍ରସ୍ତୁତିରେ ମଧ୍ୟ ପଦ୍ମଶ୍ରୀ ପଟ୍ଟନାୟକଙ୍କ ମୁଖ୍ୟ ଭୂମିକା ରହିଥିଲା୤ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଯୁକ୍ତି ଉପସ୍ଥାପନ ସମୟରେ ପଦ୍ମଶ୍ରୀ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆଧୁନିକ ଭାରତୀୟ ଭାଷା ଅଧ୍ୟୟନ ବିଭାଗର ପ୍ରଫେସର ଡ. ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ମଧ୍ୟ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ୤ ଆଜିର ସମ୍ବର୍ଧନା ସଭାରେ ଅନୁପସ୍ଥିତ ଥିବା ସାଂସଦ ଖୁଣ୍ଟିଆ ଓ ପ୍ରଫେସର ପଟ୍ଟନାୟକଙ୍କୁ ମଧ୍ୟ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା୤ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଭାଷା ହିଁ ଗୋଟିଏ ଜାତିର ମୂଳପିଣ୍ଡ୤ ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଯେଉଁମାନେ ଲଢ଼େଇ କରି ଆସୁଥିଲେ ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ୤ ପଦ୍ମ ବିଭୂଷଣ ଉପାଧି ପାଇଁ ସରକାର ସୁପାରିସ୍ କରିପାରନ୍ତି ନ ପାରନ୍ତି, କିନ୍ତୁ ତାଙ୍କ ନାମ ଇତିହାସରେ ଲିପିବଦ୍ଧ ହୋଇ ରହିବ୤ ଭାଷା କମିଟିର ସୁପାରିସ୍ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନରେ ଡେରି ହେବାର ସମ୍ଭାବନା କମ୍୤ ତେବେ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଲେ ରାଜ୍ୟ ଯେଉଁ ଆର୍ଥିକ ଅନୁଦାନ ପାଇବ ତାହାକୁ ନେଇ ଟଣାଓଟରା ନହେଉ କି ଭାଷାର ବ୍ୟବହାର ଓ ଭବିଷ୍ୟତ ନେଇ କୌଣସି ଦ୍ବନ୍ଦ୍ବ ନ ଉପୁଜୁ ବୋଲି ‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକ କହିଥିଲେ୤ ସେ କହିଥିଲେ ଯେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲେ ସମସ୍ତ ଓଡ଼ିଆ ଗର୍ବ ଅନୁଭବ କରିବେ ଏବଂ ଦେବୀ ପ୍ରସନ୍ନଙ୍କ ନାମ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲେଖାଯିବ୤ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ନେଇ ଅଯଥା ରାଜନୀତି ନକରି ଦଳମତ ନିର୍ବିଶେଷରେ ଜୋରଦାର ପ୍ରୟାସ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ୤ ପ୍ରାରମ୍ଭିକ ସୂଚନା ଦେଇ ‘କଥା’ର ସଂପାଦକ ଡକ୍ଟର ଗୌରହରି ଦାସ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଦେବୀପ୍ରସନ୍ନଙ୍କ ପ୍ରୟାସକୁ ଉଭୟ ବିଶୁ ମହାରଣା ଓ ଧରମାଙ୍କ ଅବଦାନ ସହ ତୁଳନା କରିଥିଲେ୤ ‘ଆମ ଓଡ଼ିଶା’ ସମ୍ପାଦକ (ପ୍ରକାଶନ) ଅସିତ ମହାନ୍ତି କହିଥିଲେ ଯେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଲକ୍ଷ୍ୟରେ ଯେଉଁମାନେ ଅଗ୍ରସର ହୋଇଥିଲେ ସେମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ସର୍ବାଗ୍ରେ ରହିବ୤ ଏଭଳି ପ୍ରୟାସ ଓ ପ୍ରସ୍ତୁତି ପାଇଁ ସେ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ୤ ‘ସମ୍ବାଦ’ର ସିଜିଏମ୍ (ବାର୍ତା) ବାମାପଦ ତ୍ରିପାଠୀ ଭାଷାର ଚାରିଟି ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ୤ ଭାଷାର ମୌଳିକ ସୃଷ୍ଟି, ଅନୁବାଦ, ଗବେଷଣା ଓ ବ୍ୟବହାର ଇତ୍ୟାଦି ଠିକ୍ ଭାବରେ ହୋଇପାରିଲେ ଭାଷାର ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ୤ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବାଦର ଯୁଗ୍ମ ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କନକ ଟିଭିର ନିର୍ଦେଶକ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ସଂପାଦକ (ସମ୍ବାଦ- ଏଡିଟ୍ ପେଜ୍) ରଣଜିତ୍ ଗୁରୁ, ସାହିତ୍ୟିକ ଦାଶ ବେନହୁର, ପ୍ରସାଦ ରାଓ, ସଂପଦ ମହାପାତ୍ର, ବୈଜୟନ୍ତୀ କର, ଧୃତିକାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ୤
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |