୧୦ ଫେବ୍ରୁଆରି ୨୦୨୪ ସୁଦ୍ଧା ୧୬୧ ଟି ରକ୍ତଦାନ ଶିବିରରୁ ୬୬୧୫ ୟୁନିଟ ରକ୍ତ ସଂଗୃହୀତ। ସମସ୍ତ ରକ୍ତଦାତା ଓ ରକ୍ତଦାନ ଶିବିର ଆୟୋଜକଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା।
ଆମ ବହି
ପୂର୍ବ ପୃଷ୍ଠା୤ ୭
Baramasa Kathaବାରମାସ କଥା
(ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ)
ଲେଖକ : ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ମୂଲ୍ୟ : ଟ. ୩୫/- (ପ୍ରତିଖଣ୍ଡ)
ଆମର ପର୍ବପର୍ବାଣୀ, ରୀତିନୀତି ଓଡ଼ିଆ ମାସ ଅନୁସାରେ ପରିଚାଳିତ ହେଉଥିବା ବେଳେ ସାରା ପୃଥିବୀର କାର୍ଯ୍ୟକ୍ରମ ମୁଖ୍ୟତଃ ଇଂରାଜୀ ମାସ ଅନୁସାରେ ପାଳିତ ହୋଇଥାଏ୤ ତେବେ ଓଡ଼ିଆ ମାସ ହେଉ କି ଇଂରାଜୀ ମାସ, ପ୍ରତି ମାସର ନାମକରଣ ପଛରେ ସ୍ବତନ୍ତ୍ର କାହାଣୀ ରହିଛି୤ ଇଂରାଜୀ ବାରମାସର ସେହିସବୁ କାହାଣୀକୁ ନେଇ ଦୁଇଖଣ୍ଡରେ ଏହି ‘ବାରମାସ କଥା’ ପୁସ୍ତକ ପ୍ରସ୍ତୁତ କରିଛନ୍ତି ଯୁବ ଗାଳ୍ପିକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର୤
Andarson Parikahaniଆଣ୍ଡରସନଙ୍କ ପରୀକାହାଣୀ
(ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ)
ପୁନର୍କଥନ : ଅସିତ ମହାନ୍ତି
ମୂଲ୍ୟ : ଟ. ୩୫/- (ପ୍ରତିଖଣ୍ଡ)
ଆଣ୍ଡରସନ୍ ନାମରେ ପରିଚିତ ହାନ୍ସ ଖ୍ରୀଷ୍ଟିଆନ୍ ଆଣ୍ଡରସନ୍ ପୃଥିବୀର ବିଶିଷ୍ଟ ପରୀକାହାଣୀ ଲେଖକ୤ ତାଙ୍କ ଲିଖିତ ପରୀକାହାଣୀ ଶହ ଶହ ବର୍ଷ ଧରି ପୃଥିବୀର ପ୍ରାୟ ସବୁ ଦେଶର ପିଲାଙ୍କର ମନୋରଂଜନ କରି ଆସିଛି୤ ସେଥିରୁ ବଛାବଛା ୧୧ଟିକୁ ନେଇ ଦୁଇ ଭାଗରେ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଲେଖକ ଓ ଅନୁବାଦକ ଅସିତ ମହାନ୍ତି୤ ପ୍ରଥମ ଭାଗରେ ଛଅଟି ପରୀକାହାଣୀ ଥିବା ବେଳେ ଦ୍ବିତୀୟ ଭାଗରେ ପାଞ୍ଚଟି ପରୀକାହାଣୀ ରହିଛି୤ ଦୁଇଖଣ୍ଡ ଯାକ ପୁସ୍ତକ ରଙ୍ଗିନ ଚିତ୍ର ସହ ମୁଦ୍ରିତ ହୋଇଛି୤
ସାତବାର କଥା
ଲେଖକ : ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ମୂଲ୍ୟ : ଟ. ୪୦/-
ସପ୍ତାହକ ସାତଦିନ୤ ଏହି ସାତଦିନର ନାମ ଭିନ୍ନ ଭିନ୍ନ୤ କାହିଁ କେଉଁ ପ୍ରାଚୀନ କାଳରୁ ବହୁ ପରିବର୍ତ୍ତନ ବାଟ ଦେଇ ଏହି ସବୁ ନାମକରଣ କରାଯାଇଛି୤ ସୂର୍ଯ୍ୟଙ୍କ ନାମରେ ରବି, ଚନ୍ଦ୍ରଙ୍କ ନାମରେ ସୋମ, ମଙ୍ଗଳ ଓ ବୁଧଙ୍କ ନାମରେ ମଙ୍ଗଳ ଓ ବୁଧ, ବୃହସ୍ପତିଙ୍କ ନାମରେ ଗୁରୁ ଏବଂ ଶୁକ୍ର ଓ ଶନିଙ୍କ ନାମରେ ଶୁକ୍ର ଓ ଶନିବାରର ନାମକରଣ ହୋଇଛି୤ ତେବେ ଏହିସବୁ ବାରର ନାମ ପଛରେ ବହୁ କାହାଣୀ ଓ କିମ୍ବଦନ୍ତୀ ବି ରହିଛି୤ ‘ସାତବାର କଥା’ ପୁସ୍ତକରେ ଯୁବ କଥାଶିଳ୍ପୀ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ସେହିସବୁ କାହାଣୀକୁ ସରଳ ଭାଷାରେ ଉପସ୍ଥାପିତ କରିଛନ୍ତି୤
Aja Nati Kathaଅଜାନାତି କଥା
(ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ)
ଲେଖକ : ସୌରୀନ୍ଦ୍ର ବାରିକ
ମୂଲ୍ୟ : ଟ. ୩୫/- (ପ୍ରତିଖଣ୍ଡ)
ସାଧାରଣତଃ ଦେଖାଯାଏ ଯେ ନିଜ ମନରେ ଉଠୁଥିବା ବିଭିନ୍ନ ପ୍ରଶ୍ନକୁ ପିଲାମାନେ ନିଜ ଅଜା ବା ଆଈଙ୍କୁ ସ୍ବଚ୍ଛନ୍ଦରେ ପଚାରିପାରନ୍ତି୤ ଏହାକୁ ଆଧାର କରି ବିଶିଷ୍ଟ କବି ସୌରୀନ୍ଦ୍ର ବାରିକ ପିଲାମାନଙ୍କ ପାଇଁ ଏହି କାହାଣୀଗୁଡ଼ିକ ପ୍ରସ୍ତୁତ କରିଛନ୍ତି୤ କଥା ଛଳରେ ବିଭିନ୍ନ ବିଷୟରେ ଶିକ୍ଷଣୀୟ ତଥ୍ୟ ଦେଇ ସେମାନଙ୍କର ସାଧାରଣଜ୍ଞାନ ବି ବଢ଼ାଇଛନ୍ତି୤ ଦୁଇ ଭାଗରେ ପ୍ରସ୍ତୁତ ଏହି ପୁସ୍ତକର ପ୍ରଥମ ଭାଗରେ ପ୍ରସ୍ତୁତ ଏହି ପୁସ୍ତକର ପ୍ରଥମ ଭାଗରେ ୭ଟି ଓ ଦ୍ବିତୀୟ ଭାଗରେ ୬ଟି କାହାଣୀ ରହିଛି୤
ଶବ୍ଦରୁ ଇତିହାସ
(ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ)
ଲେଖକ : ଅସିତ ମହାନ୍ତି
ମୂଲ୍ୟ : ଟ. ୩୫/- (ପ୍ରତିଖଣ୍ଡ)
ବିଶ୍ବ ଇତିହାସ ସଂପର୍କରେ ପିଲାଙ୍କର ଜ୍ଞାନବୃଦ୍ଧି କରିବାପାଇଁ ଏକ ସ୍ବତନ୍ତ୍ର ଶୈଳୀରେ ଏହି ପୁସ୍ତକ ପ୍ରସ୍ତୁତ୤ ବିଶ୍ବ ଇତିହାସର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ଗୋଟିଏ ଗୋଟିଏ ଶବ୍ଦର ଆଧାରରେ ଏହି ପୁସ୍ତକରେ ଲେଖକ ଅସିତ ମହାନ୍ତି ବର୍ଣ୍ଣନା କରିଛନ୍ତି୤ ଖ୍ରୀଷ୍ଟପୂର୍ବ ୮୦୦୦ର ‘ମେସୋପଟାମିଆ’ରୁ ପ୍ରଥମ ଭାଗ ଆରମ୍ଭ ହୋଇ ଖ୍ରୀଷ୍ଟପୂର୍ବ ୩୫୦୦ର ‘ଲୁହା’ରେ ଶେଷ ହୋଇଛି ଏବଂ ଦ୍ବିତୀୟ ଭାଗ ଖ୍ରୀଷ୍ଟପୂର୍ବ ୨୨୮୬ରୁ ଆରମ୍ଭ ହୋଇ ଖ୍ରୀଷ୍ଟପୂର୍ବ ୪୬୦ର ହିପୋକ୍ରେଟିସରେ ଶେଷ ହୋଇଛି୤
ନୀଳ ଠେକୁଆ
ଲେଖକ : ରବୀନ୍ଦ୍ର ନାଥ ମାଝୀ
ମୂଲ୍ୟ : ଟ. ୪୦/-
ବଣରେ ରହୁଥିବା ଗୋଟିଏ କଉତୁକିଆ ଠେକୁଆକୁ ନେଇ ଏହି ଶିଶୁ ଉପନ୍ୟାସ ରଚିତ୤ ନୀଳ ରଂଗରେ ବୁଡ଼ି ନୀଳ ହୋଇଯାଇଥିବା ସେହି ଠେକୁଆ ମାଧ୍ୟମରେ ଲେଖକ ଶ୍ରୀ ରବୀନ୍ଦ୍ରନାଥ ମାଝୀ ଗଛକାଟି ଜଙ୍ଗଲ ଧ୍ବଂସ କରୁଥିବା, ଶିକାର କରି ବାଘ, ଭାଲୁ, ସମ୍ବରଙ୍କ ବଂଶ ଲୋପ କରୁଥିବା ମଣିଷ ବିରୋଧରେ ସ୍ବର ଉଠାଇଛନ୍ତି୤ ପୁସ୍ତକର ଶେଷରେ ତେଣୁ ଠେକୁଆଟି ଆଗ ଦୁଇଗୋଡ଼କୁ ଯୋଡ଼ି ମାଟିକୁ ନମସ୍କାର କରି କହୁଛି, ‘ହେ ପ୍ରଭୁ, ମଣିଷକୁ ସଦବୁଦ୍ଧି ଦିଅ୤ ବଣ ଜଙ୍ଗଲ, ଗଛପତ୍ର ଏହି ସବୁଦିନ ସବୁଜ, ସୁନ୍ଦର ହୋଇ ରହିଥାଉ୤ ହସୁଥାଉ୤
Cartoon Kathaକାର୍ଟୁନ୍ କଥା
(ପ୍ରଥମ ଭାଗ ଓ ଦ୍ବିତୀୟ ଭାଗ)
ଲେଖକ : ସ୍ବରାଜ ମିଶ୍ର
ମୂଲ୍ୟ : ଟ. ୪୦/- (ପ୍ରତିଖଣ୍ଡ)
କାର୍ଟୁନ୍ ଚିତ୍ର ଆଙ୍କିବାର ପରମ୍ପରା ଖୁବ୍ ପୁରୁଣା ଏବଂ ଏହ ପିଲାଙ୍କ ଖୁବ୍ ପ୍ରିୟ୤ ସେଇଥିପାଇଁ ମୋଗଲି ମିକିମାଉସ୍, ଫାଣ୍ଟମ୍, ଚାଚା ଚୌଧୁରୀ, ଟମ୍ ଓ ଜେରି, ସୁପରମ୍ୟାନ୍, ଡେନିସ୍, ଟିନ୍ ଟିନ୍, ପପୟ, ସୁପ୍ପାଣ୍ଡି, ବିଟଲଜେଲି ଓ ରୋଡ଼୍ ସାଇଡ଼୍ ରୋମିଓ ବିଦେଶ ପିଲାଙ୍କର ଯେତିକି ପ୍ରିୟ ଆମ ପିଲାଙ୍କର ବି ସେତିକି ପ୍ରିୟ୤ ଏମାନଙ୍କର କଥା ଓ କାହାଣୀକୁ ନେଇ ଦୁଇଭାଗରେ ଏହି ପୁସ୍ତକ ପ୍ରସ୍ତୁତ କରିଛନ୍ତି ଲେଖକ ଶ୍ରୀ ସ୍ବରାଜ ମିଶ୍ର୤ ଏହା ଫଳରେ ଓଡ଼ିଆ ଭାଷାରେ ଥିବା ଏକ ଅଭାବ ଅନେକାଂଶରେ ପୂରଣ ହୋଇପାରିଛି୤
ବଙ୍କିମ ଉପନ୍ୟାସମାଳା (୬ ଖଣ୍ଡର ସଂପୂର୍ଣ୍ଣ ସେଟ୍)
ମୂଳ ବଙ୍ଗଳା : ବଙ୍କିମ ଚନ୍ଦ୍ର ଚାଟାର୍ଜୀ
ଅନୁବାଦ : ଜାନକୀ ବଲ୍ଲଭ ପଟ୍ଟନାୟକ
ମୂଲ୍ୟ : ଟ. ୭୮୦/-
‘ବଙ୍କିମ ଉପନ୍ୟାସମାଳା’ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ କାଳଜୟୀ ଉପନ୍ୟାସ ସମଗ୍ରର ଓଡ଼ିଆ ଅନୁବାଦ୤ ବଙ୍କିମଚନ୍ଦ୍ରଙ୍କର ମୋଟ ପନ୍ଦରଟି ଉପନ୍ୟାସ ଏଥିରେ ସଂକଳିତ୤ ଦୁଇଖଣ୍ଡରେ ପ୍ରକାଶପାଇ ଏହା ୨୦୦୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାର ଗୌରବ ଲାଭ କରିଥିଲା୤ ଏବେ ଏହା ନୂତନ ରୂପରେ ଛଅଖଣ୍ଡରେ ପ୍ରକାଶପାଇଛି୤ ବିଶିଷ୍ଟ ଲେଖକ ତଥା ‘ଶ୍ରୀମଦ୍ ଭାଗବତ’ ଓ ‘ଭର୍ତ୍ତୃହରି ଶତକ’ର ସୁଖ୍ୟାତ ଅନୁବାଦକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଅନୁବାଦ କରିଛନ୍ତି୤

ଏହି ଉପନ୍ୟାସମାଳାର ପ୍ରଥମ ଖଣ୍ଡରେ ସୁବିସ୍ତୃତ ମୁଖବନ୍ଧ ସହିତ ବଙ୍କିମଚନ୍ଦ୍ରଙ୍କର ପ୍ରଥମ ଉପନ୍ୟାସ ‘ଦୁର୍ଗେଶ ନନ୍ଦିନୀ’ ଓ ‘କପାଳ କୁଣ୍ଡଳୀ’, ଦ୍ବିତୀୟ ଖଣ୍ଡରେ ତିନିଟି ଉପନ୍ୟାସ ‘ରାଜସିଂହ’, ପଞ୍ଚମ ଖଣ୍ଡରେ କାଳଜୟୀ ଉପନ୍ୟାସ ‘ଆନନ୍ଦମଠ’ ଓ ‘ଦେବୀ ଚୌଧୁରାଣୀ’ ଏବଂ ଷଷ୍ଠ ତଥା ଶେଷ ଖଣ୍ଡରେ କ୍ଷୁଦ୍ର ଉପନ୍ୟାସ ‘ରାଧାରାଣୀ’, ଅସମାପ୍ତ ଉପନ୍ୟାସ ‘ବାରବାହିନୀ’ ଓ ଶେଷ ଉପନ୍ୟାସ ‘ସୀତାରାମ’ର ଅନୁବାଦ ସଂକଳିତ୤
କୃଷ୍ଣାବତାର (୭ ଖଣ୍ଡର ସଂପୂର୍ଣ୍ଣ ସେଟ୍)
ମୂଳ ଇଂରାଜୀ : କେ. ଏମ୍. ମୁନସୀ
ଅନୁବାଦ : ଜୟନ୍ତୀ ପଟ୍ଟନାୟକ
ମୂଲ୍ୟ : ଟ. ୮୦୦/-
ମହାଭାରତ କେବଳ ଏକ ମହାକାବ୍ୟ ନୁହେଁ, ପ୍ରେମ ଓ ବୀରତ୍ବର ଏକ ରୋମାଞ୍ଚଭରା କାହାଣୀ୤ ଅଲୌକିକତାର ଆଲୋକରେ ଏହା ଆଲୋକିତ ଏବଂ ଜୀବନ-ଧର୍ମର ପବିତ୍ର ମନ୍ତ୍ରରେ ଗୁଞ୍ଜରିତ୤ ସର୍ବୋପରି ବିଶ୍ବର ସର୍ବଶ୍ରେଷ୍ଠ ବୌଦ୍ଧିକ ଓ ତାତ୍ତ୍ବିକ ଐଶ୍ବର୍ଯ୍ୟ ଭଗବତ୍ ଗୀତା ଏହାର ଅନୁପମ ଅବଦାନ ଏବଂ ଭଗବାନ୍ ଶ୍ରୀକୃଷ୍ଣ ଏହାର ପରମ ନାୟକ୤

ମହାଭାରତ ବର୍ଣ୍ଣିତ ଭଗବାନ୍ ଶ୍ରୀକୃଷ୍ଣଙ୍କର କାହାଣୀମାଳାକୁ ନେଇ କେ.ଏମ.ମୁନସୀଙ୍କ ‘କୃଷ୍ଣାବତାର’ ଏକ ଅଭିନବ ପରିକଳ୍ପନା୤ ଇଂରାଜୀ ଭାଷାରେ ସାତଖଣ୍ଡରେ ଏହା ପ୍ରକାଶିତ୤ ମୋହନବଂଶୀ, ସମ୍ରାଟଙ୍କ କ୍ରୋଧ, ପଞ୍ଚଭ୍ରାତ, ଭୀମଗାଥା, ସତ୍ୟଭାମାଙ୍କ କାହାଣୀ, ବ୍ୟାସଦେବଙ୍କ କାହାଣୀ ଓ ଯୁଧିଷ୍ଠିରଙ୍କ କାହାଣୀ ଶୀର୍ଷକରେ ତାହାର ସରଳ ଓଡ଼ିଆ ଅନୁବାଦ ଓଡ଼ିଆ ସାହିତ୍ୟକୁ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କର ଏକ ଅମୂଲ୍ୟ ଅବଦାନ୤
ପୂର୍ବ ପୃଷ୍ଠା୤ ୭
ସତ୍ବ ଅଧିକାର © ୨୦୧୬, ଆମ ଓଡ଼ିଶା   ଗୁରୁତ୍ବପୁର୍ଣ୍ଣ ୱବସାଇଟ୍   |   ଘୋଷଣାନାମା  |   ସର୍ତ୍ତାବଳୀ   |   ଲଗ୍‌ଇନ୍
ୱେବସାଇଟ୍ ପ୍ରସ୍ତୁତି ଓ ପରିଚାଳନା : ବାଟୋଇ ସିଷ୍ଟ୍ମସ୍ ପ୍ରାଇଭେଟ୍ ଲିମିଟେଡ୍   |